11ତହୁଁ ଇସ୍ରାଏଲର ରାଜା ଉତ୍ତର କରି କହିଲେ, “ତାହାକୁ କୁହ, ଯେ ସଜ୍ଜା ପରିଧାନ କରେ, ସେ ସଜ୍ଜା ତ୍ୟାଗ କରିବା ଲୋକ ତୁଲ୍ୟ ଦର୍ପ ନ କରୁ।”
12ବିନ୍ହଦଦ୍ ଓ ରାଜାମାନେ କୁଟୀରରେ ପାନ କରୁଥିବା ସମୟରେ ସେ ଏହି ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲା, “ଆପଣାମାନଙ୍କୁ ସଜାଅ।” ତହୁଁ ସେମାନେ ନଗର ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ।
13ଏଥିମଧ୍ୟରେ ଦେଖ, ଜଣେ ଭବିଷ୍ୟଦ୍ବକ୍ତା ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ? ଦେଖ, ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜ୍ଞାତ ହେବ।’”
14ତହିଁରେ ଆହାବ ପଚାରିଲେ, “କାହା ଦ୍ୱାରା?” ସେ କହିଲେ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କ ଦ୍ୱାରା। ତେବେ ସେ ପଚାରିଲେ, “କିଏ ଯୁଦ୍ଧ ଆରମ୍ଭ କରିବ?” ତହିଁରେ ସେ ଉତ୍ତର କଲେ, “ତୁମ୍ଭେ।”
15ତହୁଁ ସେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କୁ ଗଣନା କଲେ, ସେମାନେ ଦୁଇ ଶହ ବତିଶ ଜଣ ହେଲେ, ପୁଣି, ସେମାନଙ୍କ ଉତ୍ତାରେ ସମୁଦାୟ ଲୋକଙ୍କୁ, ଅର୍ଥାତ୍, ସମଗ୍ର ଇସ୍ରାଏଲ-ସନ୍ତାନଙ୍କୁ ଗଣନା କରନ୍ତେ, ସାତ ସହସ୍ର ଜଣ ହେଲେ।