29ପୁଣି, ସେମାନେ ସାତ ଦିନ ସମ୍ମୁଖାସମ୍ମୁଖୀ ହୋଇ ଛାଉଣି ସ୍ଥାପନ କରି ରହିଲେ। ତହୁଁ ସପ୍ତମ ଦିନରେ ଯୁଦ୍ଧ ସଂଘଟନ ହେଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ଏକ ଦିନରେ ଅରାମୀୟମାନଙ୍କର ଏକ ଲକ୍ଷ ପଦାତିକ ସୈନ୍ୟ ବଧ କଲେ।
30ମାତ୍ର ଅବଶିଷ୍ଟ ସମସ୍ତେ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ; ଆଉ ଅବଶିଷ୍ଟ ସତାଇଶ ହଜାର ଲୋକଙ୍କ ଉପରେ ପାଚେରୀ ପଡ଼ିଲା। ପୁଣି, ବିନ୍ହଦଦ୍ ପଳାଇ ନଗରରେ ପ୍ରବେଶ କରି ଗୋଟିଏ ଭିତର କୋଠରିକୁ ଗଲା।
31ଏଥିରେ ତାହାର ଦାସମାନେ ତାହାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ଶୁଣିଅଛୁ ଯେ, ଇସ୍ରାଏଲ ବଂଶୀୟ ରାଜାମାନେ ଦୟାଳୁ ଅଟନ୍ତି; ଆମ୍ଭେମାନେ ଆପଣଙ୍କୁ ବିନୟ କରୁଅଛୁ, ଆସନ୍ତୁ, ଆମ୍ଭେମାନେ କଟିରେ ଅଖା ପିନ୍ଧି ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଉ; କେଜାଣି ସେ ଆପଣଙ୍କ ପ୍ରାଣ ବଞ୍ଚାଇବେ।”
32ତହୁଁ ସେମାନେ କଟିରେ ଅଖା ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ଆପଣଙ୍କ ଦାସ ବିନ୍ହଦଦ୍ କହୁଅଛି, ‘ମୁଁ ଆପଣଙ୍କୁ ବିନୟ କରୁଅଛି, ମୋତେ ବଞ୍ଚାଉନ୍ତୁ।’” ଏଥିରେ ସେ କହିଲେ, “ସେ କʼଣ ଏଯାଏ ବଞ୍ଚିଅଛି? ସେ ତ ମୋହର ଭାଇ।”
33ସେତେବେଳେ ସେହି ଲୋକମାନେ ଯତ୍ନପୂର୍ବକ ନିରୀକ୍ଷଣ କରି ତାହାର ମନ ସେପରି କି ନାହିଁ, ଏହା ଧରିବାକୁ ଚଞ୍ଚଳ ହେଲେ; ଆଉ ସେମାନେ କହିଲେ, “ଆପଣଙ୍କ ଭ୍ରାତା ବିନ୍ହଦଦ୍।” ତେବେ ସେ କହିଲେ, “ତୁମ୍ଭେମାନେ ଯାଇ ତାହାକୁ ଆଣ।” ତହୁଁ ବିନ୍ହଦଦ୍ ତାଙ୍କ ନିକଟକୁ ଆସନ୍ତେ, ସେ ତାହାକୁ ରଥ ଉପରକୁ ଅଣାଇଲେ।