3ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ଡା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।
4ପୁଣି, ଗୃହ ନିମନ୍ତେ ସେ ବନ୍ଦ ଜାଲିଝରକା ନିର୍ମାଣ କଲେ।
5ପୁଣି, ସେ ଗୃହର କାନ୍ଥ ଚାରିଆଡ଼େ, ଅର୍ଥାତ୍, ମନ୍ଦିର ଓ ମହାପବିତ୍ର ସ୍ଥାନର କାନ୍ଥକୁ ଲଗାଇ ଚାରିଆଡ଼େ ମହଲା ବନାଇଲେ ଓ ଚାରିଆଡ଼େ କୋଠରି ନିର୍ମାଣ କଲେ।
6ତହିଁରେ ତଳ ମହଲା ପାଞ୍ଚ ହାତ ପ୍ରସ୍ଥ, ମଧ୍ୟ ମହଲା ଛଅ ହାତ ପ୍ରସ୍ଥ ଓ ତୃତୀୟ ମହଲା ସାତ ହାତ ପ୍ରସ୍ଥ ଥିଲା। କାରଣ, କଡ଼ିକାଠ ଯେପରି ଗୃହର କାନ୍ଥରେ ବନ୍ଦ ନ ହୁଏ, ଏଥିପାଇଁ ସେ ଚାରିଆଡ଼େ ଗୃହର କାନ୍ଥର ବାହାର ଭାଗରେ ଆଧାର କଲେ।
7ସେହି ଗୃହ ନିର୍ମିତ ହେବା ସମୟରେ ତାହା ପଥରଖଣିରେ ପ୍ରସ୍ତୁତ ପଥରରେ ଗଢ଼ାଯାଇଥିଲା; ଏଣୁ ସେ ଗୃହ ନିର୍ମିତ ହେବା ସମୟଯାକ ତହିଁ ମଧ୍ୟରେ ହାତୁଡ଼ି କି କଟାଳି, କୌଣସି ଲୌହାସ୍ତ୍ରର ଶବ୍ଦ ଶୁଣା ନ ଗଲା।