3ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ, ତାବୋରର ଅଲୋନ ବୃକ୍ଷ ନିକଟରେ ଉପସ୍ଥିତ ହେବ, ସେଠାରେ ଜଣେ ତିନୋଟି ଛେଳିଛୁଆ, ଆଉ ଜଣେ ତିନୋଟି ରୁଟି, ପୁଣି, ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବେଥେଲ୍କୁ ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ;
4ପୁଣି, ସେମାନେ ତୁମ୍ଭର ମଙ୍ଗଳ ବାର୍ତ୍ତା ପଚାରି ତୁମ୍ଭକୁ ଦୁଇଗୋଟି ରୁଟି ଦେବେ; ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ।
5ଏଉତ୍ତାରେ ତୁମ୍ଭେ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେବ, ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ଅଛନ୍ତି; ଆଉ, ସେଠାରେ ନଗର-ପ୍ରବେଶ ସ୍ଥାନକୁ ଆସିଲେ ନେବଲ ଓ ଦାରା ଓ ବଂଶୀ ଓ ବୀଣା ନେଇ ଉଚ୍ଚସ୍ଥଳୀରୁ ଓହ୍ଲାଇ ଆସିବାର ଏକ ଦଳ ଭବିଷ୍ୟଦ୍ବକ୍ତାଙ୍କ ସହିତ ତୁମ୍ଭର ସାକ୍ଷାତ ହେବ; ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରୁଥିବେ;
6ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ଆକ୍ରାନ୍ତ କରିବେ, ତହିଁରେ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବ ଓ ପରିବର୍ତ୍ତିତ ହୋଇ ଅନ୍ୟ ପ୍ରକାର ଲୋକ ହୋଇଯିବ।
7ଏହିସବୁ ଚିହ୍ନ ତୁମ୍ଭ ପ୍ରତି ଘଟିଲେ, ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କର; କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।