11ଏଥିଉତ୍ତାରେ ସଦାପ୍ରଭୁ ଯିରୁବ୍ବାଲ୍କୁ ଓ ବଦାନକୁ ଓ ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କଲେ, ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।
12ଏଥିଉତ୍ତାରେ ଯେତେବେଳେ ତୁମ୍ଭେମାନେ ଦେଖିଲ ଯେ, ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍ ତୁମ୍ଭମାନଙ୍କ ପ୍ରତିକୂଳରେ ବାହାର ହୋଇ ଆସୁଅଛି, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ ହେଁ ତୁମ୍ଭେମାନେ ମୋତେ କହିଲ; ‘ନାହିଁ, ମାତ୍ର ଜଣେ ରାଜା ଆମ୍ଭମାନଙ୍କ ଉପରେ ରାଜତ୍ୱ କରିବ।’
13ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।
14ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି, ତୁମ୍ଭେମାନେ ଓ ମଧ୍ୟ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା, ଉଭୟ ଯେବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନୁବର୍ତ୍ତୀ ହେବ, ତେବେ ଭଲ;
15ମାତ୍ର ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ, ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା, ସେପରି ତୁମ୍ଭମାନଙ୍କ ପ୍ରତିକୂଳରେ ହେବ।