19ପୁଣି, ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।”
20ଏଥିରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଭୟ ନ କର; ତୁମ୍ଭେମାନେ ଏହି ସମସ୍ତ ମନ୍ଦତା କରିଅଛ, ପ୍ରମାଣ; ତଥାପି ସଦାପ୍ରଭୁଙ୍କ ପଶ୍ଚାଦ୍ଗମନରୁ ବିମୁଖ ନ ହୁଅ, ମାତ୍ର ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ସେବା କର;
21ପୁଣି, ତୁମ୍ଭେମାନେ ବିପଥଗାମୀ ନ ହୁଅ; ଯଦି ହୁଅ, ତେବେ ତୁମ୍ଭେମାନେ ଅବସ୍ତୁସକଳର ଅନୁଗାମୀ ହେବ; ସେମାନେ ଉପକାର କି ରକ୍ଷା କରିବାକୁ ଅସମର୍ଥ, ଯେହେତୁ ସେମାନେ ଅବସ୍ତୁ।
22ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି।
23ଆହୁରି ମୁଁ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ; ମାତ୍ର ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି।