25ପୁଣି, ସମସ୍ତ ଲୋକମାନେ ବନକୁ ଆସିଲେ; ମୃତ୍ତିକା ଉପରେ ମହୁ ଥିଲା।
26ଆଉ ଲୋକମାନେ ବନରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ମହୁର ଝରଣା; ମାତ୍ର କେହି ଆପଣା ମୁହଁକୁ ହାତ ନେଲା ନାହିଁ; କାରଣ ଲୋକମାନେ ସେହି ଶପଥକୁ ଭୟ କଲେ।
27ମାତ୍ର ଯୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣି ନ ଥିଲା; ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା; ତହିଁରେ ତାହାର ଚକ୍ଷୁ ସତେଜ ହେଲା।
28ସେତେବେଳେ ଲୋକମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, “ତୁମ୍ଭ ପିତା ଲୋକମାନଙ୍କୁ ଦୃଢ଼ ରୂପେ ଏହି ଶପଥ କରାଇଅଛନ୍ତି ଯେ, ‘ଆଜି ଯେଉଁ ଜନ ଖାଦ୍ୟ ଭୋଜନ କରେ, ସେ ଶାପଗ୍ରସ୍ତ ହେଉ।’ ମାତ୍ର ଲୋକମାନେ କ୍ଳାନ୍ତ ହୋଇଅଛନ୍ତି।”
29ତହିଁରେ ଯୋନାଥନ କହିଲା, “ମୋʼ ପିତା ଦେଶକୁ ଦୁଃଖ ଦେଇଅଛନ୍ତି; ଦେଖିଲ, ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି!