32ଏହେତୁ ଲୋକମାନେ ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲେ, ପୁଣି, ମେଣ୍ଢା, ଗୋରୁ ଓ ବାଛୁରି ନେଇ ଭୂମିରେ ବଧ କଲେ; ତହୁଁ ସେମାନେ ରକ୍ତ ସମେତ ତାହା ଭୋଜନ କଲେ।
33ଏଥିରେ କେହି କେହି ଶାଉଲଙ୍କୁ କହିଲେ, ଦେଖନ୍ତୁ, ଲୋକମାନେ ରକ୍ତ ସମେତ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି। ତହିଁରେ ସେ କହିଲେ, “ତୁମ୍ଭେମାନେ ବିଶ୍ୱାସଘାତକ କର୍ମ କରିଅଛ; ଏହିକ୍ଷଣେ ମୋହର ପାଖକୁ ଗୋଟିଏ ବଡ଼ ପଥର ଗଡ଼ାଇ ଆଣ।”
34ଆହୁରି ଶାଉଲ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଯାଇ ସେମାନଙ୍କୁ କୁହ, ‘ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଗୋରୁ ଓ ଆପଣା ଆପଣା ମେଷ ଏଠାକୁ ମୋʼ କତିକି ଆଣି ବଧ କରି ଭୋଜନ କର; ମାତ୍ର ରକ୍ତ ସମେତ ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ ନ କର।’” ତହିଁରେ ସେହି ରାତ୍ରି ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୋରୁ ସଙ୍ଗରେ ଆଣି ସେଠାରେ ବଧ କଲେ।
35ପୁଣି, ଶାଉଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ନିର୍ମିତ ପ୍ରଥମ ଯଜ୍ଞବେଦି ଏହି।
36ଏଉତ୍ତାରେ ଶାଉଲ କହିଲେ, “ଆସ, ଆମ୍ଭେମାନେ ରାତ୍ରି ବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ଯାଇ ସକାଳ ଆଲୁଅ ପର୍ଯ୍ୟନ୍ତ ସେମାନଙ୍କ ଦ୍ରବ୍ୟ ଲୁଟୁ ଓ ସେମାନଙ୍କର ଜଣକୁ ହିଁ ବାକି ନ ରଖୁ।” ତହିଁରେ ସେମାନେ କହିଲେ, “ତୁମ୍ଭ ଦୃଷ୍ଟିରେ ଯାହା ଭଲ,” ତାହାସବୁ କର। ତେବେ ଯାଜକ କହିଲା, “ଆସ, ଆମ୍ଭେମାନେ ଏହି ସ୍ଥାନରେ ପରମେଶ୍ୱରଙ୍କ ନିକଟରେ ଉପସ୍ଥିତ ହେଉ।”