9ସେ ଯେବେ ମୋʼ ସଙ୍ଗେ ଯୁଦ୍ଧ କରି ପାରିବ ଓ ମୋତେ ବଧ କରିବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କର ଦାସ ହେବୁ; ମାତ୍ର ଯେବେ ମୁଁ ତାହାକୁ ପାରିବି ଓ ବଧ କରିବି, ତେବେ ତୁମ୍ଭେମାନେ ଆମ୍ଭମାନଙ୍କର ଦାସ ହେବ ଓ ଆମ୍ଭମାନଙ୍କର ଦାସ୍ୟକର୍ମ କରିବ।”
10ଆହୁରି ସେ ପଲେଷ୍ଟୀୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟଶ୍ରେଣୀକୁ ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ।”
11ପୁଣି, ଶାଉଲ ଓ ସମୁଦାୟ ଇସ୍ରାଏଲ ସେହି ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ, ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।
12ଦାଉଦ ବେଥଲିହିମ ଯିହୁଦା ନିବାସୀ ଏକ ଇଫ୍ରାଥୀୟ ପୁରୁଷର ପୁତ୍ର ଥିଲେ, ତାହାର ନାମ ଯିଶୀ; ତାହାର ଆଠ ପୁତ୍ର ଥିଲେ; ପୁଣି, ଶାଉଲଙ୍କ ସମୟରେ ସେ ପୁରୁଷ ବୃଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଗତବୟସ୍କ ବୋଲି ଗଣିତ ଥିଲା।
13ଯିଶୀର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ୍ ଯୁଦ୍ଧକୁ ଯାଇଥିଲେ; ପୁଣି, ଯୁଦ୍ଧକୁ ଯାଇଥିବା ତାହାର ତିନି ପୁତ୍ର ମଧ୍ୟରେ ଜ୍ୟେଷ୍ଠର ନାମ ଇଲୀୟାବ୍ ଓ ଦ୍ୱିତୀୟର ନାମ ଅବୀନାଦବ ଓ ତୃତୀୟର ନାମ ଶମ୍ମ, ଆଉ ଦାଉଦ କନିଷ୍ଠ ଥିଲେ।