14ଏଥିମଧ୍ୟରେ ଯୁବାମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ପ୍ରାନ୍ତରରୁ ଦୂତମାନଙ୍କୁ ପଠାଇଥିଲେ, ତହିଁରେ ସେ ସେମାନଙ୍କୁ ଖାଇ ଗୋଡ଼ାଇଲେ।
15ମାତ୍ର ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ପୁଣି, ଆମ୍ଭେମାନେ କ୍ଷେତ୍ରରେ ସେମାନଙ୍କ ସଙ୍ଗେ ଥିବାଯାଏ ଆମ୍ଭମାନଙ୍କର କୌଣସି ଅପକାର ହୋଇ ନାହିଁ, କି ଆମ୍ଭେମାନେ କିଛି ହରାଇ ନାହୁଁ।
16ଆମ୍ଭେମାନେ ସେମାନଙ୍କ ସଙ୍ଗେ ମେଷ ଜଗିବାର ସମୟଯାକ ସେମାନେ ରାତ୍ରିରେ ଓ ଦିନରେ ଆମ୍ଭମାନଙ୍କ ପ୍ରତି ପ୍ରାଚୀର ସ୍ୱରୂପ ଥିଲେ।
17ଏହେତୁ ଏବେ ତୁମ୍ଭର କି କର୍ତ୍ତବ୍ୟ, ଏହା ବିବେଚନା କରି ବୁଝ; କାରଣ ଆମ୍ଭମାନଙ୍କ କର୍ତ୍ତା ଓ ତାଙ୍କର ସମସ୍ତ ଗୃହ ପ୍ରତିକୂଳରେ ଅମଙ୍ଗଳ ସ୍ଥିର ହୋଇଅଛି; ମାତ୍ର ସେ ଏପରି ଦୁଷ୍ଟ ଲୋକ ଯେ, ତାଙ୍କୁ କେହି କିଛି କହି ନ ପାରେ।”
18ତହୁଁ ଅବୀଗଲ ଶୀଘ୍ର ଦୁଇ ଶହ ରୁଟି ଓ ଦୁଇ କୁମ୍ପା ଦ୍ରାକ୍ଷାରସ ଓ ପାଞ୍ଚୋଟି କଟା ମେଷ ଓ ପାଞ୍ଚ ଗଉଣୀ ଭଜା ଶସ୍ୟ ଓ ଶହେ ପେଣ୍ଡା ଦ୍ରାକ୍ଷାଫଳ ଓ ଦୁଇ ଶହ ଡିମ୍ବିରି ଚକ୍ତି ନେଇ ଗଧମାନଙ୍କ ଉପରେ ନଦିଲା।