1ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟୀୟମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟସାମନ୍ତ ସଂଗ୍ରହ କଲେ। ଏଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟସାମନ୍ତଭୁକ୍ତ ହୋଇ ମୋʼ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ।”
2ତହିଁରେ ଦାଉଦ ଆଖୀଶ୍କୁ କହିଲେ, “ତାହାହେଲେ ଆପଣଙ୍କ ଦାସ କଅଣ କରିବ, ତାହା ଆପଣ ଜାଣିବେ।” ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ସେଥିପାଇଁ ମୁଁ ତୁମ୍ଭକୁ ଯାବଜ୍ଜୀବନ ଆପଣା ମସ୍ତକ-ରକ୍ଷକ କରିବି।”
3ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।