11ସେତେବେଳେ ସେହି ସ୍ତ୍ରୀ କହିଲା, “ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି?” ସେ କହିଲେ, “ମୋʼ କତିକି ଶାମୁୟେଲଙ୍କୁ ଉଠାଇ ଆଣ।”
12ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚସ୍ୱରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, “ଆପଣ କାହିଁକି ମୋତେ ପ୍ରତାରଣା କଲେ? କାରଣ ଆପଣ ଶାଉଲ।”
13ତହୁଁ ରାଜା ତାହାକୁ କହିଲେ, “ଭୟ ନ କର; ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ସେ ସ୍ତ୍ରୀ ଶାଉଲଙ୍କୁ କହିଲା, “ମୁଁ ଦେବଗଣ (ତୁଲ୍ୟ ଏକ ବ୍ୟକ୍ତି) ଭୂମିରୁ ଉଠି ଆସିବାର ଦେଖୁଅଛି।”
14ଏଥିରେ ଶାଉଲ ତାହାକୁ ପଚାରିଲେ, “ତାହାର ରୂପ କି ପ୍ରକାର?” ସେ କହିଲା, “ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି; ସେ ଚୋଗାରେ ଆଚ୍ଛନ୍ନ!” ତହୁଁ ଶାଉଲ ଜାଣିଲେ ଯେ, ସେ ଶାମୁୟେଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ।
15ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ?” ତହୁଁ ଶାଉଲ ଉତ୍ତର ଦେଲେ, “ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋʼ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି, ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍ବକ୍ତାମାନଙ୍କ ହାତରେ, ନା ସ୍ୱପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି।”