2ତହିଁରେ ଦାଉଦ ଆଖୀଶ୍କୁ କହିଲେ, “ତାହାହେଲେ ଆପଣଙ୍କ ଦାସ କଅଣ କରିବ, ତାହା ଆପଣ ଜାଣିବେ।” ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ସେଥିପାଇଁ ମୁଁ ତୁମ୍ଭକୁ ଯାବଜ୍ଜୀବନ ଆପଣା ମସ୍ତକ-ରକ୍ଷକ କରିବି।”
3ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।
4ଏଥିରେ ପଲେଷ୍ଟୀୟମାନେ ଏକତ୍ର ହୋଇ ଆସି ଶୂନେମରେ ଛାଉଣି ସ୍ଥାପନ କଲେ; ପୁଣି, ଶାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ, ସେମାନେ ଗିଲ୍ବୋୟରେ ଛାଉଣି ସ୍ଥାପନ କଲେ।
5ମାତ୍ର ଶାଉଲ ପଲେଷ୍ଟୀୟମାନଙ୍କ ସୈନ୍ୟସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା।
6ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍ ଦ୍ୱାରା, ନା ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା।