8ଆହୁରି ଲିବାନୋନରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋʼ ନିକଟକୁ ପଠାଉନ୍ତୁ; କାରଣ ମୁଁ ଜାଣେ, ଆପଣଙ୍କ ଦାସମାନେ ଲିବାନୋନରେ କାଷ୍ଠ କାଟିବାରେ ନିପୁଣ;
9ଆଉ ଦେଖନ୍ତୁ, ମୋʼ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ; ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହା ଆଶ୍ଚର୍ଯ୍ୟ ଓ ବୃହତ ହେବ।
10ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳୀମାନଙ୍କୁ କୋଡ଼ିଏ ହଜାର ମହଣ ମଳା ଗହମ ଓ କୋଡ଼ିଏ ହଜାର ମହଣ ଯବ ଓ କୋଡ଼ିଏ ହଜାର ମହଣ ଦ୍ରାକ୍ଷାରସ ଓ କୋଡ଼ିଏ ହଜାର ମହଣ ତୈଳ ଦେବି।”
11ତହିଁରେ ସୋରର ରାଜା ହୂରମ୍ ଶଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, “ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି।”
12ହୂରମ୍ ଆହୁରି କହିଲା, “ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନାବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।