15ତହୁଁ ଲୋକମାନେ ତାଙ୍କ ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହର ଅଶ୍ୱଦ୍ୱାରର ପ୍ରବେଶ ସ୍ଥାନକୁ ଗଲେ; ଆଉ ସେଠାରେ ସେମାନେ ତାଙ୍କୁ ବଧ କଲେ।
16ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ଆପଣାର, ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା।
17ଏଉତ୍ତାରେ ସମଗ୍ର ଲୋକ ବାଲ୍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ, ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଯଜ୍ଞବେଦି ସମ୍ମୁଖରେ ବାଲ୍ର ଯାଜକ ମତ୍ତନକୁ ବଧ କଲେ।
18ଆଉ, ଦାଉଦଙ୍କର ବିଧାନମତେ ଆନନ୍ଦ ଓ ଗାନ ସହିତ ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଦାଉଦ ଯେଉଁ ଲେବୀୟ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ବିଭାଗ କରିଥିଲେ, ସେମାନଙ୍କ ହସ୍ତାଧୀନରେ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କାର୍ଯ୍ୟ ସ୍ଥାପନ କଲା।
19ଆଉ, କୌଣସି ବିଷୟରେ ଅଶୁଚି କୌଣସି ଲୋକ ଯେପରି ପ୍ରବେଶ କରି ନ ପାରେ, ଏଥିପାଇଁ ସେ ସଦାପ୍ରଭୁଙ୍କ ଗୃହର ଦ୍ୱାରସବୁରେ ଦ୍ୱାରପାଳମାନଙ୍କୁ ନିଯୁକ୍ତ କଲା।