16ପୁଣି ଲୋକମାନେ ଦାଉଦ-ନଗରରେ ରାଜାମାନଙ୍କ ମଧ୍ୟରେ ତାହାକୁ କବର ଦେଲେ, କାରଣ ସେ ଇସ୍ରାଏଲ ମଧ୍ୟରେ, ଆଉ ପରମେଶ୍ୱର ଓ ତାହାଙ୍କ ଗୃହ ବିଷୟରେ ଉତ୍ତମ କର୍ମ କରିଥିଲା।
17ଯିହୋୟାଦାର ମରଣ ଉତ୍ତାରେ ଯିହୁଦାର ଅଧିପତିମାନେ ଆସି ରାଜାଙ୍କୁ ପ୍ରଣାମ କଲେ। ତହିଁରେ ରାଜା ସେମାନଙ୍କ କଥାରେ ମନୋଯୋଗ କଲେ।
18ଏଉତ୍ତାରେ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରି ଆଶେରା ମୂର୍ତ୍ତି ଓ ପ୍ରତିମାଗଣର ସେବା କଲେ; ତହିଁରେ ସେମାନଙ୍କର ଏହି ଅପରାଧ ସକାଶୁ ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
19ତଥାପି ସଦାପ୍ରଭୁଙ୍କ ନିକଟକୁ ପୁନର୍ବାର ସେମାନଙ୍କୁ ଆଣିବା ପାଇଁ ସେ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ; ତହିଁରେ ସେମାନେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲେ। ମାତ୍ର ସେମାନେ କର୍ଣ୍ଣ ଦେବାକୁ ସମ୍ମତ ନୋହିଲେ।
20ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଯିହୋୟାଦା ଯାଜକର ପୁତ୍ର ଜିଖରୀୟ ଉପରେ ଅଧିଷ୍ଠାନ କଲେ, ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, “ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଆଜ୍ଞାସବୁ ଲଙ୍ଘନ କରୁଅଛ? ଏଥିରେ କୃତକାର୍ଯ୍ୟ ନୋହିବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି।”