18ଏଉତ୍ତାରେ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରି ଆଶେରା ମୂର୍ତ୍ତି ଓ ପ୍ରତିମାଗଣର ସେବା କଲେ; ତହିଁରେ ସେମାନଙ୍କର ଏହି ଅପରାଧ ସକାଶୁ ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
19ତଥାପି ସଦାପ୍ରଭୁଙ୍କ ନିକଟକୁ ପୁନର୍ବାର ସେମାନଙ୍କୁ ଆଣିବା ପାଇଁ ସେ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ; ତହିଁରେ ସେମାନେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲେ। ମାତ୍ର ସେମାନେ କର୍ଣ୍ଣ ଦେବାକୁ ସମ୍ମତ ନୋହିଲେ।
20ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଯିହୋୟାଦା ଯାଜକର ପୁତ୍ର ଜିଖରୀୟ ଉପରେ ଅଧିଷ୍ଠାନ କଲେ, ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, “ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଆଜ୍ଞାସବୁ ଲଙ୍ଘନ କରୁଅଛ? ଏଥିରେ କୃତକାର୍ଯ୍ୟ ନୋହିବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି।”
21ତହିଁରେ ସେମାନେ ତାହା ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଜ୍ଞାରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ତାହାକୁ ପ୍ରସ୍ତରାଘାତ କଲେ।
22ଏହିରୂପେ, ତାହାର ପିତା ଯିହୋୟାଦା ଯୋୟାଶ୍ ରାଜାଙ୍କ ପ୍ରତି ଯେଉଁ ଦୟା ପ୍ରକାଶ କରିଥିଲା, ତାହା ସ୍ମରଣ ନ କରି ସେ ତାହାର ପୁତ୍ରକୁ ବଧ କଲେ। ପୁଣି, ସେ ମରଣକାଳରେ କହିଲା, “ସଦାପ୍ରଭୁ ଏଥିପ୍ରତି ଦୃଷ୍ଟିପାତ କରନ୍ତୁ ଓ ତହିଁର ପରିଶୋଧ ନେଉନ୍ତୁ।”