7ତହିଁରେ ଅହସୀୟ ସେମାନଙ୍କୁ ପଚାରିଲେ, “ଯେ ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା, ସେ କି ପ୍ରକାର ଲୋକ?”
8ତହୁଁ ସେମାନେ ତାଙ୍କୁ ଉତ୍ତର କଲେ, “ସେ ଲୋମଶ ମନୁଷ୍ୟ ଓ ତାହାର କଟି ଚର୍ମପଟୁକାରେ ବନ୍ଧା ଥିଲା।” ତହିଁରେ ରାଜା କହିଲେ, “ସେ ତ ତିଶ୍ବୀୟ ଏଲୀୟ।”
9ତେବେ ରାଜା ଏଲୀୟଙ୍କ ନିକଟକୁ ଜଣେ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ପଚାଶପତି ଏଲୀୟଙ୍କ ନିକଟକୁ ଗଲା; ଆଉ ଦେଖ, ଏଲୀୟ ପର୍ବତ ଶୃଙ୍ଗରେ ବସିଥିଲେ। ଏଥିରେ ପଚାଶପତି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ତଳକୁ ଆସ।’”
10ତହୁଁ ଏଲୀୟ ସେହି ପଚାଶପତିଙ୍କୁ ଉତ୍ତର କରି କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ।” ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା।
11ଏଉତ୍ତାରେ ରାଜା ପୁନର୍ବାର ଏଲୀୟଙ୍କ ନିକଟକୁ ଆଉ ଏକ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ଏହି ପଚାଶପତି ମଧ୍ୟ ଏଲୀୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ଶୀଘ୍ର ତଳକୁ ଆସ।’”