11ତହୁଁ ଯେହୂ ଆହାବଙ୍କର କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଯିଷ୍ରିୟେଲରେ ତାଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ, ଓ ତାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ, ତାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ, ଓ ତାଙ୍କର ଯାଜକମାନଙ୍କୁ ବଧ କଲେ।
12ଏଥିଉତ୍ତାରେ ଯେହୂ ଉଠି ପ୍ରସ୍ଥାନ କରି ଶମରୀୟାକୁ ଗଲେ। ପୁଣି ସେ ପଥ ମଧ୍ୟରେ ମେଷପାଳକମାନଙ୍କ ମେଷଲୋମ-ଚ୍ଛେଦନ ଗୃହ ନିକଟରେ ଉପସ୍ଥିତ ହୁଅନ୍ତେ,
13ଯେହୂ ଯିହୁଦାର ରାଜା ଅହସୀୟଙ୍କର ଭ୍ରାତୃଗଣକୁ ଭେଟି ପଚାରିଲେ, “ତୁମ୍ଭେମାନେ କିଏ?” ସେମାନେ ଉତ୍ତର କଲେ, “ଆମ୍ଭେମାନେ ଅହସୀୟଙ୍କର ଭାଇ; ଆଉ ଆମ୍ଭେମାନେ ରାଜାଙ୍କ ସନ୍ତାନମାନଙ୍କର ଓ ରାଣୀଙ୍କ ସନ୍ତାନମାନଙ୍କର ମଙ୍ଗଳବାଦ କରିବାକୁ ଯାଉଅଛୁ।”
14ଏଥିରେ ଯେହୂ କହିଲେ, “ଏମାନଙ୍କୁ ଜିଅନ୍ତା ଧର।” ତହୁଁ ଲୋକମାନେ ସେମାନଙ୍କୁ ଜୀଅନ୍ତା ଧରି ମେଷଲୋମ ଚ୍ଛେଦନଗୃହର ଗର୍ତ୍ତ ନିକଟରେ ସେହି ବୟାଳିଶ ଜଣଙ୍କୁ ବଧ କଲେ, ସେ ସେମାନଙ୍କର କାହାକୁ ଅବଶିଷ୍ଟ ରଖିଲେ ନାହିଁ।
15ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି?” ଏଥିରେ ଯିହୋନାଦବ୍ ଉତ୍ତର କଲା, “ହଁ, ଅଛି।” “ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ।” ତହୁଁ ଯିହୋନାଦବ୍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।