3ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
4ଏଥିଉତ୍ତାରେ ଯୋୟାଶ୍ ଯାଜକମାନଙ୍କୁ କହିଲେ, “ପବିତ୍ରୀକୃତ ବସ୍ତୁର ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଯାଏ, ଅର୍ଥାତ୍, ପ୍ରଚଳିତ ମୁଦ୍ରା, ପ୍ରାଣୀମାନଙ୍କ ନିମନ୍ତେ ପ୍ରତ୍ୟେକ ଲୋକ ଉପରେ ନିରୂପିତ ମୁଦ୍ରା ଓ ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ କୌଣସି ମନୁଷ୍ୟର ମନରେ ବାଞ୍ଛା ହୁଏ,
5ତାହାସବୁ ଯାଜକମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆପଣାମାନଙ୍କ ପାଇଁ ଗ୍ରହଣ କରନ୍ତୁ; ପୁଣି ସେହି ଗୃହର ଯେକୌଣସି ସ୍ଥାନ ଭଗ୍ନ ଦେଖାଯାଏ, ତାହାସବୁ ସେମାନେ ପୁନଃନିର୍ମାଣ କରନ୍ତୁ।”
6ମାତ୍ର ଯୋୟାଶ୍ ରାଜାଙ୍କ ରାଜତ୍ଵର ତେଇଶ ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଗୃହର ଭଗ୍ନସ୍ଥାନମାନ ପୁନଃନିର୍ମାଣ କରି ନ ଥିଲେ।
7ତହିଁରେ ଯୋୟାଶ୍ ରାଜା ଯିହୋୟାଦା ଯାଜକକୁ ଓ ଅନ୍ୟ ଯାଜକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଗୃହର ଭଗ୍ନସ୍ଥାନସବୁ କାହିଁକି ପୁନଃନିର୍ମାଣ କରୁ ନାହଁ? ଏହେତୁ ତୁମ୍ଭେମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ, ମାତ୍ର ଗୃହର ଭଗ୍ନ ସ୍ଥାନ ନିମନ୍ତେ ତାହା ସମର୍ପଣ କର।”