5ତାହାସବୁ ଯାଜକମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆପଣାମାନଙ୍କ ପାଇଁ ଗ୍ରହଣ କରନ୍ତୁ; ପୁଣି ସେହି ଗୃହର ଯେକୌଣସି ସ୍ଥାନ ଭଗ୍ନ ଦେଖାଯାଏ, ତାହାସବୁ ସେମାନେ ପୁନଃନିର୍ମାଣ କରନ୍ତୁ।”
6ମାତ୍ର ଯୋୟାଶ୍ ରାଜାଙ୍କ ରାଜତ୍ଵର ତେଇଶ ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଗୃହର ଭଗ୍ନସ୍ଥାନମାନ ପୁନଃନିର୍ମାଣ କରି ନ ଥିଲେ।
7ତହିଁରେ ଯୋୟାଶ୍ ରାଜା ଯିହୋୟାଦା ଯାଜକକୁ ଓ ଅନ୍ୟ ଯାଜକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଗୃହର ଭଗ୍ନସ୍ଥାନସବୁ କାହିଁକି ପୁନଃନିର୍ମାଣ କରୁ ନାହଁ? ଏହେତୁ ତୁମ୍ଭେମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ, ମାତ୍ର ଗୃହର ଭଗ୍ନ ସ୍ଥାନ ନିମନ୍ତେ ତାହା ସମର୍ପଣ କର।”
8ତହିଁରେ ଯାଜକମାନେ ଲୋକମାନଙ୍କଠାରୁ ଆଉ ମୁଦ୍ରା ଗ୍ରହଣ ନ କରିବାକୁ, ଅବା ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ ନ କରିବାକୁ ସମ୍ମତ ହେଲେ।
9ମାତ୍ର ଯିହୋୟାଦା ଯାଜକ ଏକ ସିନ୍ଦୁକ ନେଇ ତହିଁର ଢାଙ୍କୁଣୀରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା; ପୁଣି ଦ୍ୱାରରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରାସବୁ ତହିଁ ଭିତରେ ରଖିଲେ।