15ଆଉ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଯେଉଁ ଦଳ ତାଙ୍କ ସମ୍ମୁଖରେ ଥିଲେ, ସେମାନେ ତାଙ୍କୁ ଦେଖି କହିଲେ, “ଏଲୀୟଙ୍କର ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତହୁଁ ସେମାନେ ଇଲୀଶାୟଙ୍କୁ ଭେଟିବାକୁ ଆସି ତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କଲେ।
16ଆଉ ସେମାନେ ଇଲୀଶାୟଙ୍କୁ କହିଲେ, “ଏବେ ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ସଙ୍ଗେ ପଚାଶ ବଳବାନ ଲୋକ ଅଛନ୍ତି; ଆମ୍ଭେମାନେ ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କୁ ଖୋଜନ୍ତୁ; ହୋଇପାରେ, ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ ଅବା ଉପତ୍ୟକାରେ ପକାଇ ଦେଇଥିବେ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭେମାନେ ପଠାଅ ନାହିଁ।”
17ତଥାପି ଇଲୀଶାୟ ଲଜ୍ଜିତ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପ୍ରବର୍ତ୍ତାନ୍ତେ, ସେ କହିଲେ, “ପଠାଅ।” ଏହେତୁ ସେମାନେ ପଚାଶ ଲୋକ ପଠାଇଲେ, ଆଉ ସେମାନେ ତାଙ୍କୁ ତିନି ଦିନ ଖୋଜିଲେ, ମାତ୍ର ପାଇଲେ ନାହିଁ।
18ପୁଣି ଇଲୀଶାୟ ଯିରୀହୋରେ ଥାଉ ଥାଉ ସେମାନେ ତାଙ୍କ ନିକଟକୁ ଫେରି ଆସିଲେ; ଏଥିରେ ସେ ସେମାନଙ୍କୁ କହିଲେ, “ନ ଯାଅ ବୋଲି ମୁଁ କʼଣ ତୁମ୍ଭମାନଙ୍କୁ କହି ନ ଥିଲି।”
19ଏଥିଉତ୍ତାରେ ନଗରସ୍ଥ ଲୋକମାନେ ଇଲୀଶାୟଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ, ଏହି ନଗରର ସ୍ଥାନ ମନୋରମ; ମାତ୍ର ଜଳ ମନ୍ଦ ଓ ଭୂମି ଫଳନାଶକ।”