14ସେତେବେଳେ ଯିଶାଇୟ ଭବିଷ୍ୟଦ୍ବକ୍ତା ହିଜକୀୟ ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏହି ଲୋକମାନେ କଅଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ?” ତହିଁରେ ହିଜକୀୟ କହିଲେ, “ସେମାନେ ଦୂର ଦେଶ ବାବିଲରୁ ଆସିଅଛନ୍ତି।”
15ଏଥିରେ ଯିଶାଇୟ ପଚାରିଲେ, “ସେମାନେ ତୁମ୍ଭ ଗୃହରେ କି କି ବିଷୟ ଦେଖିଅଛନ୍ତି?” ତହୁଁ ହିଜକୀୟ ଉତ୍ତର କଲେ, “ମୋʼ ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ନ ଦେଖାଇଲି, ଏପରି କୌଣସି ପଦାର୍ଥ ମୋʼ ଭଣ୍ଡାରସମୂହରେ ନାହିଁ।”
16ଏଥିରେ ଯିଶାଇୟ ହିଜକୀୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ:
17ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି। ସଦାପ୍ରଭୁ କହନ୍ତି, କିଛି ଛଡ଼ାଯିବ ନାହିଁ।
18ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ।”