17ତହୁଁ ସେ ପଚାରିଲେ, “ସେହି ଯେ ସ୍ତମ୍ଭ ଆମ୍ଭେ ଦେଖୁଅଛୁ, ତାହା କଅଣ?” ଏଥିରେ ନଗରର ଲୋକମାନେ ଉତ୍ତର କଲେ, “ପରମେଶ୍ୱରଙ୍କର ଯେଉଁ ଲୋକ ଯିହୁଦାରୁ ଆସି ଆପଣଙ୍କ କୃତ ଏହି ସକଳ ବିଷୟ ବେଥେଲ୍ସ୍ଥ ଯଜ୍ଞବେଦି ବିରୁଦ୍ଧରେ ପ୍ରଚାର କରିଥିଲେ, ତାହା ତାଙ୍କର କବର।”
18ତେବେ ରାଜା ଯୋଶୀୟ କହିଲେ, “ତାଙ୍କୁ ଛାଡ଼ିଦିଅ; କେହି ତାଙ୍କର ଅସ୍ଥି ସ୍ଥାନାନ୍ତର ନ କରୁ।” ଏହେତୁ ସେମାନେ ଶମରୀୟାରୁ ଆଗତ ଭବିଷ୍ୟଦ୍ବକ୍ତାଙ୍କର ଅସ୍ଥି ସହିତ ତାହାର ଅସ୍ଥି ଛାଡ଼ିଦେଲେ।
19ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଶମରୀୟାର ନାନା ନଗରରେ ଯେ ଯେ ଉଚ୍ଚସ୍ଥଳୀର ଗୃହ ନିର୍ମାଣ କରିଥିଲେ, ଯୋଶୀୟ ସେସବୁ ମଧ୍ୟ ଦୂର କଲେ ଓ ବେଥେଲ୍ରେ ଯେପରି କର୍ମ କରିଥିଲେ, ସେସବୁ ପ୍ରତି ସେହିପରି କଲେ।
20ପୁଣି ସେ ଉଚ୍ଚସ୍ଥଳୀର ଯାଜକ ସମସ୍ତଙ୍କୁ ଯଜ୍ଞବେଦିରେ ବଧ କରି, ତହିଁ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଦଗ୍ଧ କଲେ; ଏଥିଉତ୍ତାରେ ସେ ଯିରୂଶାଲମକୁ ଫେରିଗଲେ।
21ଆହୁରି ରାଜା ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, “ଏହି ନିୟମ ପୁସ୍ତକରେ ଯେପରି ଲେଖାଅଛି; ତଦନୁସାରେ ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର।”