25ଆଉ ଯୋଶୀୟଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ଯୋଶୀୟଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ହେଲେ ନାହିଁ।
26ତଥାପି ମନଃଶି ଯେସବୁ ବିରକ୍ତିଜନକ କ୍ରିୟା ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିଥିଲେ, ତହିଁ ସକାଶୁ ଯିହୁଦା ପ୍ରତିକୂଳରେ ତାହାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ଆପଣାର ସେହି ପ୍ରଚଣ୍ଡ ମହାକୋପରୁ ଫେରିଲେ ନାହିଁ।
27ଆହୁରି ସଦାପ୍ରଭୁ କହିଲେ, “ଆମ୍ଭେ ଯେପରି ଇସ୍ରାଏଲକୁ ଦୂର କରିଅଛୁ, ସେପରି ଆମ୍ଭେ ଆପଣା ଦୃଷ୍ଟିରୁ ଯିହୁଦାକୁ ମଧ୍ୟ ଦୂର କରିବା ଓ ଆମ୍ଭେ ଏହି ଯେ ଯିରୂଶାଲମ ନଗରକୁ ମନୋନୀତ କରିଅଛୁ ଓ ଏହି ସ୍ଥାନରେ ଆମ୍ଭର ନାମ ରହିବ ବୋଲି ଯେଉଁ ଗୃହ ବିଷୟରେ କରିଅଛୁ, ଏହାକୁ ଆମ୍ଭେ ଅଗ୍ରାହ୍ୟ କରିବା।”
28ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
29ତାଙ୍କ ସମୟରେ ମିସରୀୟ ରାଜା ଫାରୋ-ନଖୋ ଅଶୂରୀୟ ରାଜାର ବିରୁଦ୍ଧରେ ଫରାତ୍ ନଦୀ ଆଡ଼କୁ ଯାତ୍ରା କଲା; ଆଉ ଯୋଶୀୟ ରାଜା ତାହା ବିରୁଦ୍ଧରେ ଯାତ୍ରା କଲେ ତହିଁରେ ଫାରୋ-ନଖୋ ତାଙ୍କୁ ଦେଖି ମଗିଦ୍ଦୋ ନିକଟରେ ତାଙ୍କୁ ବଧ କଲା।