27ଆହୁରି ସଦାପ୍ରଭୁ କହିଲେ, “ଆମ୍ଭେ ଯେପରି ଇସ୍ରାଏଲକୁ ଦୂର କରିଅଛୁ, ସେପରି ଆମ୍ଭେ ଆପଣା ଦୃଷ୍ଟିରୁ ଯିହୁଦାକୁ ମଧ୍ୟ ଦୂର କରିବା ଓ ଆମ୍ଭେ ଏହି ଯେ ଯିରୂଶାଲମ ନଗରକୁ ମନୋନୀତ କରିଅଛୁ ଓ ଏହି ସ୍ଥାନରେ ଆମ୍ଭର ନାମ ରହିବ ବୋଲି ଯେଉଁ ଗୃହ ବିଷୟରେ କରିଅଛୁ, ଏହାକୁ ଆମ୍ଭେ ଅଗ୍ରାହ୍ୟ କରିବା।”
28ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
29ତାଙ୍କ ସମୟରେ ମିସରୀୟ ରାଜା ଫାରୋ-ନଖୋ ଅଶୂରୀୟ ରାଜାର ବିରୁଦ୍ଧରେ ଫରାତ୍ ନଦୀ ଆଡ଼କୁ ଯାତ୍ରା କଲା; ଆଉ ଯୋଶୀୟ ରାଜା ତାହା ବିରୁଦ୍ଧରେ ଯାତ୍ରା କଲେ ତହିଁରେ ଫାରୋ-ନଖୋ ତାଙ୍କୁ ଦେଖି ମଗିଦ୍ଦୋ ନିକଟରେ ତାଙ୍କୁ ବଧ କଲା।
30ଏଥିଉତ୍ତାରେ ଯୋଶୀୟଙ୍କ ଦାସମାନେ ମଗିଦ୍ଦୋରୁ ଯିରୂଶାଲମକୁ ତାଙ୍କର ମୃତ ଶରୀର ରଥରେ ଆଣି ତାଙ୍କର ନିଜ କବରରେ କବର ଦେଲେ। ତହୁଁ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍ଙ୍କୁ ନେଇ ତାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ।
31ଯିହୋୟାହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ହମୁଟଲ୍, ସେ ଲିବ୍ନା ନିବାସୀ ଯିରିମୀୟର କନ୍ୟା ଥିଲେ।