29ତାଙ୍କ ସମୟରେ ମିସରୀୟ ରାଜା ଫାରୋ-ନଖୋ ଅଶୂରୀୟ ରାଜାର ବିରୁଦ୍ଧରେ ଫରାତ୍ ନଦୀ ଆଡ଼କୁ ଯାତ୍ରା କଲା; ଆଉ ଯୋଶୀୟ ରାଜା ତାହା ବିରୁଦ୍ଧରେ ଯାତ୍ରା କଲେ ତହିଁରେ ଫାରୋ-ନଖୋ ତାଙ୍କୁ ଦେଖି ମଗିଦ୍ଦୋ ନିକଟରେ ତାଙ୍କୁ ବଧ କଲା।
30ଏଥିଉତ୍ତାରେ ଯୋଶୀୟଙ୍କ ଦାସମାନେ ମଗିଦ୍ଦୋରୁ ଯିରୂଶାଲମକୁ ତାଙ୍କର ମୃତ ଶରୀର ରଥରେ ଆଣି ତାଙ୍କର ନିଜ କବରରେ କବର ଦେଲେ। ତହୁଁ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍ଙ୍କୁ ନେଇ ତାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ।
31ଯିହୋୟାହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ହମୁଟଲ୍, ସେ ଲିବ୍ନା ନିବାସୀ ଯିରିମୀୟର କନ୍ୟା ଥିଲେ।
32ସେ ଆପଣା ପୂର୍ବପୁରୁଷଗଣର ସକଳ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
33ପୁଣି ସେ ଯେପରି ଯିରୂଶାଲମରେ ରାଜ୍ୟ କରି ନ ପାରିବେ, ଏଥିପାଇଁ ଫାରୋ-ନଖୋ ହମାତ ଦେଶସ୍ଥ ରିବ୍ଲାରେ ତାଙ୍କୁ ବନ୍ଦ କରି ରଖିଲା ଓ ଦେଶ ଉପରେ ଏକ ଶହ ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ବସାଇଲା।