13ତହୁଁ ଅରାମୀୟ ରାଜା କହିଲା, “ଯାଇ ଦେଖ, ଇଲୀଶାୟ କେଉଁଠାରେ ଅଛି, ତହିଁରେ ମୁଁ ଲୋକ ପଠାଇ ତାହାକୁ ଆଣିବି।” ଏଥିଉତ୍ତାରେ ତାହାକୁ ସମ୍ବାଦ ଦିଆଗଲା ଯେ, “ଦେଖନ୍ତୁ, ସେ ଦୋଥନରେ ଅଛି।”
14ଏହେତୁ ସେ ସେସ୍ଥାନକୁ ଅଶ୍ୱଗଣ ଓ ରଥ ଓ ମହାସୈନ୍ୟଦଳ ପଠାଇଲା; ପୁଣି ସେମାନେ ରାତ୍ରିରେ ଆସି ନଗରର ଚତୁର୍ଦ୍ଦିଗ ବେଷ୍ଟନ କଲେ।
15ଏଥିରେ ପରମେଶ୍ୱରଙ୍କ ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ, ଏକ ସୈନ୍ୟଦଳ ଅଶ୍ୱ ଓ ରଥ ସହିତ ନଗରର ଚତୁର୍ଦ୍ଦିଗ ବେଷ୍ଟନ କରିଅଛନ୍ତି। ତହୁଁ ତାଙ୍କର ଦାସ ତାଙ୍କୁ କହିଲା, “ହାୟ, ମୋହର ପ୍ରଭୋ! ଆମ୍ଭେମାନେ କଅଣ କରିବା?”
16ତହିଁରେ ସେ ଉତ୍ତର କଲେ, “ଭୟ କର ନାହିଁ; କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ।”
17ପୁଣି ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ସେ ଯେପରି ଦେଖି ପାରିବ, ଏଥିପାଇଁ ତାହାର ଚକ୍ଷୁ ମୁକ୍ତ କର।” ପୁଣି ସଦାପ୍ରଭୁ ସେହି ଯୁବା ଲୋକର ଚକ୍ଷୁ ମୁକ୍ତ କଲେ; ଆଉ ସେ ଦେଖିଲା; ପୁଣି ଦେଖ, ପର୍ବତ ଇଲୀଶାୟଙ୍କ ଚତୁର୍ଦ୍ଦିଗରେ ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ଥିଲା।