8ଏଥିଉତ୍ତାରେ ସେହି କୁଷ୍ଠୀମାନେ ଛାଉଣିର ବାହାର ସୀମାକୁ ଆସି ଗୋଟିଏ ତମ୍ବୁ ଭିତରକୁ ଯାଇ ଭୋଜନପାନ କଲେ, ପୁଣି ତହିଁରୁ ରୂପା ଓ ସୁନା ଓ ବସ୍ତ୍ର ନେଇ ଲୁଚାଇ ରଖିଲେ; ତହୁଁ ସେମାନେ ପୁନର୍ବାର ଆସି ଆଉ ଏକ ତମ୍ବୁ ମଧ୍ୟରେ ପ୍ରବେଶ କଲେ ଓ ତହିଁରୁ ମଧ୍ୟ ଦ୍ରବ୍ୟାଦି ନେଇଯାଇ ଲୁଚାଇ ରଖିଲେ।
9ତେବେ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ଭଲ କରୁ ନାହୁଁ; ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ତୁନି ହୋଇ ରହୁଅଛୁ; ଯେବେ ଆମ୍ଭେମାନେ ପ୍ରଭାତ ଆଲୁଅ ପର୍ଯ୍ୟନ୍ତ ବିଳମ୍ବ କରୁ, ତେବେ ଆମ୍ଭମାନଙ୍କୁ ଦଣ୍ଡ ଘଟିବ; ଏହେତୁ ଏବେ ଆସ, ଆମ୍ଭେମାନେ ଯାଇ ରାଜଗୃହରେ ସମ୍ବାଦ ଦେଉ।”
10ତହୁଁ ସେମାନେ ଆସି ନଗରର ଦ୍ୱାରୀକୁ ଡାକିଲେ; ଆଉ ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟମାନଙ୍କ ଛାଉଣିକୁ ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ; କି ମନୁଷ୍ୟର ଶବ୍ଦ ନାହିଁ, ମାତ୍ର ଅଶ୍ୱ ଓ ଗର୍ଦ୍ଦଭଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ବୁସବୁ ଯେପରି ଥିଲା, ସେପରି ଅଛି।”
11ତହୁଁ ସେ ଦ୍ୱାରୀମାନଙ୍କୁ ଡାକନ୍ତେ, ସେମାନେ ରାଜଗୃହ ଭିତରେ ସମ୍ବାଦ ଦେଲେ।
12ତହିଁରେ ରାଜା ରାତ୍ରିରେ ଉଠି ଆପଣା ଦାସମାନଙ୍କୁ କହିଲେ, “ଅରାମୀୟମାନେ ଆମ୍ଭମାନଙ୍କ ପ୍ରତି ଯାହା କରିଅଛନ୍ତି, ତାହା ମୁଁ ଏବେ ତୁମ୍ଭମାନଙ୍କ ପ୍ରତି ପ୍ରକାଶ କରିବି। ସେମାନେ ଜାଣନ୍ତି ଯେ, ଆମ୍ଭେମାନେ କ୍ଷୁଧାର୍ତ୍ତ ଅଛୁ; ଏହେତୁ ସେମାନେ ଛାଉଣିରୁ ବାହାରିଯାଇ ଆପଣାମାନଙ୍କୁ କ୍ଷେତ୍ରରେ ଲୁଚାଇ କହୁଛନ୍ତି, ସେମାନେ ନଗରରୁ ବାହାରିଲେ, ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଧରି ନଗରରେ ପ୍ରବେଶ କରିବା।”