6କାରଣ ସଦାପ୍ରଭୁ ଅରାମୀୟମାନଙ୍କ ସୈନ୍ୟଗଣକୁ ରଥ ଶବ୍ଦ ଓ ଅଶ୍ୱ ଶବ୍ଦ, ଅର୍ଥାତ୍, ମହାସୈନ୍ୟ ଶବ୍ଦ ଶୁଣାଇଥିଲେ; ତହିଁରେ ସେମାନେ ପରସ୍ପର କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ହିତ୍ତୀୟମାନଙ୍କ ରାଜାଗଣକୁ ଓ ମିସରୀୟମାନଙ୍କ ରାଜାଗଣକୁ ଆମ୍ଭମାନଙ୍କ ପ୍ରତିକୂଳରେ ବେତନ ଦେଇ ନିଯୁକ୍ତ କରିଅଛି।”
7ଏହେତୁ ଅରାମୀୟମାନଙ୍କ ସୈନ୍ୟଗଣ ଉଠି ଗୋଧୂଳି ସମୟରେ ପଳାଇଲେ, ଆଉ ସେମାନେ ଆପଣାମାନଙ୍କ ତମ୍ବୁ ଓ ଅଶ୍ୱ ଓ ଗର୍ଦ୍ଦଭ ଓ ଛାଉଣି ଯେପରି ଥିଲା, ସେପରି ଛାଡ଼ି ଆପଣାମାନଙ୍କ ପ୍ରାଣରକ୍ଷାର୍ଥେ ପଳାଇଲେ।
8ଏଥିଉତ୍ତାରେ ସେହି କୁଷ୍ଠୀମାନେ ଛାଉଣିର ବାହାର ସୀମାକୁ ଆସି ଗୋଟିଏ ତମ୍ବୁ ଭିତରକୁ ଯାଇ ଭୋଜନପାନ କଲେ, ପୁଣି ତହିଁରୁ ରୂପା ଓ ସୁନା ଓ ବସ୍ତ୍ର ନେଇ ଲୁଚାଇ ରଖିଲେ; ତହୁଁ ସେମାନେ ପୁନର୍ବାର ଆସି ଆଉ ଏକ ତମ୍ବୁ ମଧ୍ୟରେ ପ୍ରବେଶ କଲେ ଓ ତହିଁରୁ ମଧ୍ୟ ଦ୍ରବ୍ୟାଦି ନେଇଯାଇ ଲୁଚାଇ ରଖିଲେ।
9ତେବେ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ଭଲ କରୁ ନାହୁଁ; ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ତୁନି ହୋଇ ରହୁଅଛୁ; ଯେବେ ଆମ୍ଭେମାନେ ପ୍ରଭାତ ଆଲୁଅ ପର୍ଯ୍ୟନ୍ତ ବିଳମ୍ବ କରୁ, ତେବେ ଆମ୍ଭମାନଙ୍କୁ ଦଣ୍ଡ ଘଟିବ; ଏହେତୁ ଏବେ ଆସ, ଆମ୍ଭେମାନେ ଯାଇ ରାଜଗୃହରେ ସମ୍ବାଦ ଦେଉ।”
10ତହୁଁ ସେମାନେ ଆସି ନଗରର ଦ୍ୱାରୀକୁ ଡାକିଲେ; ଆଉ ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟମାନଙ୍କ ଛାଉଣିକୁ ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ; କି ମନୁଷ୍ୟର ଶବ୍ଦ ନାହିଁ, ମାତ୍ର ଅଶ୍ୱ ଓ ଗର୍ଦ୍ଦଭଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ବୁସବୁ ଯେପରି ଥିଲା, ସେପରି ଅଛି।”