2ତହିଁରେ ସେ ସ୍ତ୍ରୀ ଉଠି ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟ ପ୍ରମାଣେ କର୍ମ କଲା; ଅର୍ଥାତ୍, ସେ ଆପଣା ପରିବାର ସହିତ ଯାଇ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ପ୍ରବାସ କଲା।
3ପୁଣି ସାତ ବର୍ଷ ଶେଷରେ ସେ ସ୍ତ୍ରୀ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା; ଆଉ ସେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରିବାକୁ ରାଜାଙ୍କ ନିକଟକୁ ଗଲା।
4ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସଙ୍ଗେ କଥାବାର୍ତ୍ତା କରୁ କରୁ କହିଲେ, “ମୁଁ ବିନୟ କରୁଅଛି, ଇଲୀଶାୟ ଯେ ଯେ ମହତ୍ କର୍ମ କରିଅଛନ୍ତି, ତାହାସବୁ ମୋତେ ଜଣାଅ।”
5ତହିଁରେ ଇଲୀଶାୟ କିପରି ମୃତ ଲୋକକୁ ପୁନର୍ଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ନିକଟରେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରୁଅଛି। ଏଥିରେ ଗିହେଜୀ କହିଲା, “ହେ ମୋର ପ୍ରଭୋ, ମହାରାଜ, ଏ ସେହି ସ୍ତ୍ରୀ ଓ ତାହାର ପୁତ୍ର, ଯାହାକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”
6ତହୁଁ ରାଜା ସେହି ସ୍ତ୍ରୀକୁ ପଚାରନ୍ତେ, ସେ ତାଙ୍କୁ ଜଣାଇଲା। ତହିଁରେ ରାଜା ତାହା ନିମନ୍ତେ ଏକ କର୍ମଚାରୀକୁ ନିଯୁକ୍ତ କରି କହିଲେ, “ଏହାର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା, ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର କ୍ଷେତ୍ରୋତ୍ପନ୍ନ ସମସ୍ତ ଫଳ ଏହାକୁ ଫେରାଇ ଦିଅ।”