12ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’”
13ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ।”
14ଏଥିରେ ନିମ୍ଶିଙ୍କର ପୌତ୍ର ଯିହୋଶାଫଟ୍ଙ୍କର ପୁତ୍ର ଯେହୂ ଯୋରାମ୍ଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। (ସେସମୟରେ ଯୋରାମ୍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲୀୟଦ ରକ୍ଷା କରୁଥିଲେ।
15ମାତ୍ର ଯୋରାମ୍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ)। ପୁଣି ଯେହୂ କହିଲେ, “ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ।”
16ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍ ଶଯ୍ୟାଗତ ହୋଇଥିଲେ। ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍ଙ୍କୁ ଦେଖିବାକୁ ଆସିଥିଲେ।