11ତହିଁରେ ସେ ସ୍ତ୍ରୀ କହିଲେ, “ରକ୍ତର ପ୍ରତିହନ୍ତା (ନାଶକ) ଯେପରି ଆଉ ବିନାଶ ନ କରେ, ଏଥିପାଇଁ ମହାରାଜ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ, ନୋହିଲେ, ସେମାନେ ମୋʼ ପୁତ୍ରକୁ ଉଚ୍ଛିନ୍ନ କରିବେ।” ତହୁଁ ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭ ପୁତ୍ରର ଏକ କେଶ ହିଁ ତଳେ ପଡ଼ିବ ନାହିଁ।”
12ସେତେବେଳେ ସେହି ସ୍ତ୍ରୀ କହିଲା, “ଆପଣଙ୍କ ଦାସୀଙ୍କୁ ମୋର ପ୍ରଭୁ ମହାରାଜଙ୍କ ନିକଟରେ ଗୋଟିଏ କଥା କହିବାକୁ ଦେଉନ୍ତୁ;” ସେ କହିଲେ, “କୁହ।”
13ତହୁଁ ସେହି ସ୍ତ୍ରୀ କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏରୂପ ସଂକଳ୍ପ କରିଅଛନ୍ତି? ମହାରାଜ ଯାହା କହିଲେ, ତଦ୍ଦ୍ୱାରା ଦୋଷୀ ଲୋକ ପରି ହୋଇଅଛନ୍ତି, କାରଣ ମହାରାଜ ଆପଣା ନିର୍ବାସିତ ଲୋକଙ୍କୁ ଫେରାଇ ଆଣୁ ନାହାନ୍ତି।
14ଆମ୍ଭେମାନେ ତ ନିତାନ୍ତ ମରିବା, ପୁଣି ଭୂମିରେ ଢଳାଗଲା ଉତ୍ତାରେ ଯାହା ପୁନର୍ବାର ସଂଗୃହୀତ ହୋଇ ନ ପାରେ, ଏପରି ଜଳ ତୁଲ୍ୟ ହେବା; କିନ୍ତୁ ପରମେଶ୍ୱର ଜୀବନ ହରଣ କରନ୍ତି ନାହିଁ; ମାତ୍ର ନିର୍ବାସିତ ଲୋକ ଯେପରି ତାହାଙ୍କଠାରୁ ନିର୍ବାସିତ ନ ହୁଏ, ଏପରି ଉପାୟର ସଂକଳ୍ପ କରନ୍ତି।
15ଏବେ ମୁଁ ଯେ ମୋର ପ୍ରଭୁ ମହାରାଜଙ୍କ ନିକଟରେ ଏହି କଥା ନିବେଦନ କରିବାକୁ ଆସିଲି, ତହିଁର କାରଣ ଏହି ଯେ, ଲୋକମାନେ ମୋର ଭୟ ଜନ୍ମାଇଲେ; ତହିଁରେ ଆପଣଙ୍କ ଦାସୀ କହିଲା, ‘ମୁଁ ଏବେ ମହାରାଜଙ୍କୁ କହିବି; ହୋଇପାରେ, ମହାରାଜ ଆପଣା ଦାସୀର ନିବେଦନାନୁସାରେ କରିବେ।