14ତହିଁରେ ଅବଶାଲୋମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ।” ଯେହେତୁ ସଦାପ୍ରଭୁ ଅବଶାଲୋମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ।
15ଏଥିଉତ୍ତାରେ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ହୂଶୟ କହିଲା, “ଅବଶାଲୋମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହୀଥୋଫଲ ଏହିପରି ଭାବରେ ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏହିପରି ଭାବରେ ମନ୍ତ୍ରଣା ଦେଲି।
16ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ‘ପ୍ରାନ୍ତରସ୍ଥ ଘାଟି ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସିମତେ ପାର ହୋଇ ଚାଲିଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ।’”
17ସେହି ସମୟରେ ଯୋନାଥନ ଓ ଅହୀମାସ୍ ଐନ୍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାʼନ୍ତି।
18ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବଶାଲୋମଙ୍କୁ ଜଣାଇଲା; ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ, ସେମାନେ ତହିଁ ଭିତରକୁ ଗଲେ।