18ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, “ମୋʼ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ;” ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ସେହି ଦିନଠାରୁ ଅାଜି ପର୍ଯ୍ୟନ୍ତ ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି।
19ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍ କହିଲା, “ସଦାପ୍ରଭୁ କିପରି ରାଜାଙ୍କର ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେଇଅଛନ୍ତି, ଏହି ସୁସମ୍ବାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ି ଯାଏ।”
20ତହିଁରେ ଯୋୟାବ ତାହାଙ୍କୁ କହିଲା, “ଆଜି ତୁମ୍ଭେ ସୁସମ୍ବାଦବାହକ ହେବ ନାହିଁ, ମାତ୍ର ଅନ୍ୟ ଦିନ ସୁସମ୍ବାଦ ନେବ; ରାଜାଙ୍କ ପୁତ୍ର ମରିଅଛି, ଏହେତୁ ଆଜି ତୁମ୍ଭେ ସୁସମ୍ବାଦ ନେବ ନାହିଁ।”
21ତେବେ ଯୋୟାବ କୂଶୀୟଙ୍କୁ କହିଲା, “ତୁମ୍ଭେ ଯାହା ଦେଖିଅଛ, ତାହା ତୁମ୍ଭେ ରାଜାଙ୍କୁ ଯାଇ ଜଣାଅ।” ଏଥିରେ କୂଶୀୟ ଯୋୟାବକୁ ପ୍ରଣାମ କରି ଦୌଡ଼ିଲା।
22ତହୁଁ ସାଦୋକର ପୁତ୍ର ଅହୀମାସ୍ ପୁନର୍ବାର ଯୋୟାବଙ୍କୁ କହିଲା, “ଯାହାହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୂଶୀୟର ପଛେ ଦୌଡ଼େ।” ତହିଁରେ ଯୋୟାବ କହିଲା, “ମୋʼ ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ, କାରଣ ସେହି ସମ୍ବାଦ ପାଇଁ ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହଁ?”