16ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।
17ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
18ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।
19ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।
20ଏଥିଉତ୍ତାରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ତହିଁରେ ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, “ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ, ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ!”