18ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।
19ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।
20ଏଥିଉତ୍ତାରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ତହିଁରେ ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, “ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ, ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ!”
21ଏଥିରେ ଦାଉଦ ମୀଖଲକୁ କହିଲେ, “ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି; ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି।
22ପୁଣି ମୁଁ ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି ଓ ନିଜ ଦୃଷ୍ଟିରେ ନୀଚ ହେବି; ତଥାପି ତୁମ୍ଭେ ଯେଉଁ ଦାସୀମାନଙ୍କ କଥା କହିଲ, ସେମାନଙ୍କଠାରୁ ମୁଁ ଗୌରବ ପାଇବି।”