7ଏଣୁ ଈଶ୍ବରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମ ସହରରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ।
8ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ।
9କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡ଼ିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,
10ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।
11ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ।