45ଆଉ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ବର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ।
46ଦାଉଦ ଈଶ୍ବରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ବରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ।
47କିନ୍ତୁ ଶଲୋମନ ଈଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ।
48ତଥାପି ଯେ ମହାନ ଈଶ୍ବର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,
49‘ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?