4ପୁଣି, ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ୱ ସ୍ଥାନକୁ ଗଲେ ହେଁ ଆମ୍ଭେ ସେସ୍ଥାନରେ ଖଡ୍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ ଓ ଆମ୍ଭେ ମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ସେମାନଙ୍କ ଉପରେ ଆପଣା ଦୃଷ୍ଟି ରଖିବା।”
5କାରଣ ଯେ ପୃଥିବୀକୁ ସ୍ପର୍ଶ କରନ୍ତେ, ତାହା ତରଳି ଯାଏ, ଆଉ ତନ୍ନିବାସୀ ସମସ୍ତେ ଶୋକ କରନ୍ତି; ସେ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଅଟନ୍ତି; ପୁଣି, ତାହା ସମ୍ପୂର୍ଣ୍ଣ ରୂପେ ନଦୀ ପରି ବଢ଼ି ଉଠିବ ଓ ମିସରର ନୀଳ ନଦୀ ତୁଲ୍ୟ ପୁନର୍ବାର ହ୍ରାସ ହେବ।
6ଯେ ଆକାଶରେ ଆପଣା କୋଠରି ଶ୍ରେଣୀ ନିର୍ମାଣ କରନ୍ତି ଓ ପୃଥିବୀ ଉପରେ ଆପଣା ଚନ୍ଦ୍ରାତପ ସ୍ଥାପନ କରିଅଛନ୍ତି; ଯେ ସମୁଦ୍ରର ଜଳସମୂହକୁ ଡାକି ପୃଥିବୀ ଉପରେ ଢାଳନ୍ତି; ତାହାଙ୍କର ନାମ ସଦାପ୍ରଭୁ।
7ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ-ସନ୍ତାନଗଣ,” “ତୁମ୍ଭେମାନେ ଆମ୍ଭ ନିକଟରେ କି କୂଶୀୟ ସନ୍ତାନଗଣର ତୁଲ୍ୟ ନୁହଁ? ଆମ୍ଭେ କି ଇସ୍ରାଏଲକୁ ମିସର ଦେଶରୁ ଓ ପଲେଷ୍ଟୀୟମାନଙ୍କୁ କପ୍ତୋର ଦେଶରୁ ଓ ଅରାମୀୟମାନଙ୍କୁ କୀର୍ ଦେଶରୁ ଆଣି ନାହୁଁ?
8ଦେଖ, ପ୍ରଭୁ ସଦାପ୍ରଭୁଙ୍କର ଚକ୍ଷୁ ଏହି ପାପିଷ୍ଠ ରାଜ୍ୟ ଉପରେ ଅଛି ଓ ଆମ୍ଭେ ପୃଥିବୀରୁ ତାହା ଉଚ୍ଛିନ୍ନ କରିବା; କେବଳ ଯାକୁବ ବଂଶକୁ ଆମ୍ଭେ ନିଃଶେଷ ରୂପେ ଉଚ୍ଛିନ୍ନ କରିବା ନାହିଁ,” ଏହା ସଦାପ୍ରଭୁ କହନ୍ତି।