12ଏଥିରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ; କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନୋନିବେଶ କଲ, ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା; ଆଉ, ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ।
13ମାତ୍ର ପାରସ୍ୟ ରାଜ୍ୟର ଅଧିପତି ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭର ପ୍ରତିବାଧା କଲା; ମାତ୍ର ଦେଖ, ପ୍ରଧାନ ଅଧିପତିମାନଙ୍କର ମଧ୍ୟରୁ ମୀଖାୟେଲ ନାମରେ ଜଣେ ଆମ୍ଭର ସାହାଯ୍ୟ କରିବାକୁ ଆସିଲେ; ଆଉ, ଆମ୍ଭେ ସେହି ସ୍ଥାନରେ ପାରସ୍ୟର ରାଜାଗଣର ସଙ୍ଗରେ ରହିଲୁ।
14ଏବେ, ଶେଷ କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭକୁ ବୁଝାଇ ଦେବା ପାଇଁ ଆମ୍ଭେ ଆସିଅଛୁ; କାରଣ ଦର୍ଶନ ଆହୁରି ଅନେକ କାଳ ପର୍ଯ୍ୟନ୍ତ ଅଛି।”
15ସେ ମୋତେ ଏରୂପ କଥା କହିଲା ଉତ୍ତାରେ ମୁଁ ଭୂମି ଆଡ଼େ ମୁଖ କରି ଅବାକ୍ ହେଲି।
16ଏଥିରେ ଦେଖ, ମନୁଷ୍ୟ-ସନ୍ତାନଗଣର ଆକୃତିବିଶିଷ୍ଟ ଏକ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ; ତହୁଁ ମୁଁ ଆପଣା ମୁଖ ଫିଟାଇ ମୋʼ ସମ୍ମୁଖରେ ଠିଆ ହେବା ବ୍ୟକ୍ତିଙ୍କୁ କହିଲି, “ହେ ମୋର ପ୍ରଭୁ, ଏହି ଦର୍ଶନ ସକାଶୁ ମୋର ବେଦନା ମୋତେ ଆକ୍ରାନ୍ତ କରିଅଛି ଓ ମୁଁ କିଛିମାତ୍ର ବଳ ରକ୍ଷା କରି ପାରୁ ନାହିଁ।