24“ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ-ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ କର।
25ଆଜି ଆମ୍ଭେ ସମସ୍ତ ଆକାଶମଣ୍ଡଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ବାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ।”
26ଆଉ ମୁଁ କଦେମୋତ୍ ପ୍ରାନ୍ତରରୁ ହିଷ୍ବୋନର ରାଜା ସୀହୋନ ନିକଟକୁ ବାର୍ତ୍ତାବହମାନଙ୍କ ଦ୍ୱାରା ଏହି ଶାନ୍ତି ସୂଚକ ବାକ୍ୟ କହି ପଠାଇଲି,
27“ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ।
28ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋʼ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର;