14ମାତ୍ର ତୁମ୍ଭେ ସ୍ତ୍ରୀମାନଙ୍କୁ, ବାଳକମାନଙ୍କୁ, ପଶୁମାନଙ୍କୁ ଓ ନଗରର ସର୍ବସ୍ୱ ଆପଣା ନିମନ୍ତେ ଲୁଟ ସ୍ୱରୂପ ଗ୍ରହଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଶତ୍ରୁମାନଙ୍କର ଯେଉଁ ଲୁଟ ତୁମ୍ଭଙ୍କୁ ଦିଅନ୍ତି, ତାହା ଭୋଜନ କରିବ।
15ଯେଉଁ ଯେଉଁ ନଗର ଏହି ଗୋଷ୍ଠୀୟ ଲୋକମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ଏପରି ସମସ୍ତ ନଗର ପ୍ରତି ଏହି ପ୍ରକାର କରିବ।
16ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ୱାସଧାରୀ କାହାରିକୁ ଜୀବିତ ରଖିବ ନାହିଁ।
17ମାତ୍ର ତୁମ୍ଭ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ।
18ନୋହିଲେ କେଜାଣି, ସେମାନେ ଆପଣା ଆପଣା ଦେବତାମାନଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ତଦନୁସାରେ କରିବା ପାଇଁ ତୁମ୍ଭମାନଙ୍କୁ ଶିଖାଇବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବ।