1ତୁମ୍ଭେ ଆପଣା ଭାଇର ବଳଦ କି ମେଷ ବଣା ହେବାର ଦେଖିଲେ, ସେମାନଙ୍କ ବିଷୟରେ ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ଆପଣା ଭାଇ କତିକି ନିଶ୍ଚୟ ଫେରାଇ ଆଣିବ।
2ପୁଣି ଯଦି ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ବା ତୁମ୍ଭେ ଯଦି ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ୱେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରେ ତୁମ୍ଭେ ତାହାକୁ ତାହା ଫେରାଇ ଦେବ।
3ତୁମ୍ଭେ ତାହାର ଗଧ ପ୍ରତି ସେରୂପ କରିବ ଓ ତୁମ୍ଭେ ତାହାର ବସ୍ତ୍ର ପ୍ରତି ସେରୂପ କରିବ; ପୁଣି ତୁମ୍ଭ ଭାଇ ଯେକୌଣସି ବସ୍ତୁ ହଜାଇଥାଏ, ତାହାର ସେହି ହଜିଲା ବସ୍ତୁ ତୁମ୍ଭେ ପାଇଲେ, ତହିଁ ବିଷୟରେ ସେରୂପ କରିବ; ତହିଁରେ ଅମନୋଯୋଗ କରିବା ତୁମ୍ଭର ଅକର୍ତ୍ତବ୍ୟ।
4ତୁମ୍ଭେ ଆପଣା ଭାଇର ଗଧ କି ବଳଦ ବାଟରେ ପଡ଼ିଯିବାର ଦେଖିଲେ, ତହିଁ ପ୍ରତି ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ପୁନର୍ବାର ଉଠାଇବା ପାଇଁ ଅବଶ୍ୟ ତାହାର ଉପକାର କରିବ।