9ଆଉ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଅଛନ୍ତି ଓ ଏହି ଦେଶ, ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଅଛନ୍ତି।
10ଏବେ, ହେ ସଦାପ୍ରଭୋ, ଦେଖ, ତୁମ୍ଭେ ଆମ୍ଭକୁ ଯେଉଁ ଭୂମି ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।” ଏଉତ୍ତାରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବ।
11ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁ ଯେଉଁ ମଙ୍ଗଳ କରିଅଛନ୍ତି, ସେହି ସବୁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ।
12ତୃତୀୟ ବର୍ଷରେ, ଅର୍ଥାତ୍, ଦଶମାଂଶ-ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟାଦିର ଦଶମାଂଶ ଦେବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ଲେବୀୟକୁ, ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ତାହା ଦେବ, ତହିଁରେ ସେମାନେ ତୁମ୍ଭ ନଗର-ଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ।
13ତହୁଁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଏହା କହିବ, ମୋʼ ପ୍ରତି ତୁମ୍ଭର ସମସ୍ତ ଆଜ୍ଞାନୁସାରେ “ମୁଁ ଆପଣା ଗୃହରୁ ପବିତ୍ର ବସ୍ତୁ ବାହାର କରି ପୃଥକ ରଖିଅଛି, ମଧ୍ୟ ଲେବୀୟକୁ ଓ ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ଦେଇଅଛି; ମୁଁ ତୁମ୍ଭର କୌଣସି ଆଜ୍ଞାଲଙ୍ଘନ କରି ନାହିଁ, କିଅବା ତାହା ପାସୋରି ନାହିଁ।