ଦ୍ୱିତୀୟ ବିବରଣ 4

ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି?

Deuteronomy 4:7 (UKJV) For what nation is there so great, who has God so nigh unto them, as the LORD our God is in all things that we call upon him for?

5ଦେଖ, ସଦାପ୍ରଭୁ ମୋହର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଓ ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ସେହିପରି ବ୍ୟବହାର କରିବାକୁ ହେବ।

6ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, “ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।”

7ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି?

8ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି?

9କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଜୀବନ ସାରା ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ରପୌତ୍ରମାନଙ୍କୁ ତାହା ଶିଖାଅ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.