26କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛୁ, ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି?
27ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯାହା କହିବେ, ସେସମସ୍ତ କଥା ତୁମ୍ଭେ ଆମ୍ଭମାନଙ୍କୁ କୁହ; ଆମ୍ଭେମାନେ ତାହା ଶୁଣି ପାଳନ କରିବା।’
28ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, ‘ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।
29ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତା!
30ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଆପଣା ଆପଣା ତମ୍ବୁକୁ ଫେରିଯାଅ।