5ପୁଣି, “ଏହି କର୍ମ ମହାରାଜାଙ୍କ ଦୃଷ୍ଟିରେ ଯଥାର୍ଥ ବୋଧ ହୁଏ, ଆଉ ମୁଁ ମହାରାଜାଙ୍କର ତୁଷ୍ଟିକାରିଣୀ ଅଟେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍ ଯେସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲେ, ତାହା ଅନ୍ୟଥା କରିବାକୁ ଲେଖାଯାଉ;
6ଯେହେତୁ ମୋʼ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ, ତାହା ଦେଖି ମୁଁ କିପରି ସହି ପାରିବି? ପୁଣି, ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହି ପାରିବି?”
7ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ ଓ ଯିହୁଦୀୟ ମର୍ଦ୍ଦଖୟଙ୍କୁ କହିଲେ, “ଦେଖ, ମୁଁ ଏଷ୍ଟରଙ୍କୁ ହାମନ୍ର ଗୃହ ଦେଲି, ଲୋକମାନେ ହାମନ୍କୁ ଫାଶୀକାଠରେ ଫାଶୀ ଦେଇଅଛନ୍ତି, କାରଣ ସେ ଯିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲେ।
8ମଧ୍ୟ ତୁମ୍ଭେମାନେ ରାଜା ନାମରେ ଯିହୁଦୀୟମାନଙ୍କ ନିକଟକୁ ଆପଣା ଆପଣା ଇଚ୍ଛାନୁସାରେ ପତ୍ର ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର; କାରଣ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ନ ପାରେ।”
9ତେଣୁ ତୃତୀୟ ମାସର, ଅର୍ଥାତ୍, ସୀବନ ମାସର ତେଇଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ମର୍ଦ୍ଦଖୟର ସକଳ ଆଜ୍ଞାନୁସାରେ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶହ ସତାଇଶ ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀକୁ ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲିଖିତ ହେଲା।