14ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି, ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ।
15ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।
16ଆଉ ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ପୁଣି, ସପ୍ତମ ଦିନରେ ମଧ୍ୟ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ଆଉ ସେହି ଦୁଇ ଦିନରେ ପ୍ରତ୍ୟେକ ପ୍ରାଣୀର ଖାଦ୍ୟର ଆୟୋଜନ ବିନୁ ଆଉ କୌଣସି କର୍ମ କରାଯିବ ନାହିଁ, କେବଳ ସେହି କର୍ମ ତୁମ୍ଭେମାନେ କରି ପାରିବ।
17ଏହି ପ୍ରକାରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବ, କାରଣ ସେହି ଦିନରେ ହିଁ ଆମ୍ଭେ ତୁମ୍ଭମାନଙ୍କର ସୈନ୍ୟମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା; ଏଣୁ ତୁମ୍ଭେମାନେ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ଦିନ ପାଳନ କରିବ।
18ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ।