1ଏଥିଉତ୍ତାରେ ସେମାନେ ଏଲୀମଠାରୁ ଯାତ୍ରା କଲେ, ଆଉ ମିସର ଦେଶରୁ ପ୍ରସ୍ଥାନ କଲା ଉତ୍ତାରେ ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲୀମ ଓ ସୀନୟର ମଧ୍ୟବର୍ତ୍ତୀ ସୀନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ।
2ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ।
3ପୁଣି, ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ କହିଲେ, “ହାୟ, ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯଦି ଆମ୍ଭେମାନେ ମିସର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାʼନ୍ତୁ। ତୁମ୍ଭେମାନେ ଏହି ସମସ୍ତ ମଣ୍ଡଳୀକୁ କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଅଛ।”
4ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା; ପୁଣି, ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ; ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚାଲିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା।